୧୯୮୯ ବ୍ୟାଚ୍ ଆଇଏଫଏସ୍ ଅଫିସର ବିକ୍ରମ ମିଶ୍ରି ହେବେ ଭାରତର ନୂଆ ବୈଦେଶିକ ସଚିବ। ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ କମିଟି ତାଙ୍କର ନିଯୁକ୍ତି ଉପରେ ମୋହର ମାରିଛି। ଏବେ ଜାତୀୟ ସୁରକ୍ଷା ଉପ-ପରାମର୍ଶଦାତା (Deputy NSA) ଥିବା ବିକ୍ରମ ମିଶ୍ରି ଆସନ୍ତା ଜୁଲାଇ ମାସ ୧୫ ତାରିଖରେ ଭାରତର ବୈଦେଶିକ ସଚିବ ଭାବେ ଦାୟିତ୍ୱ ନେବେ। କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।
୧୯୬୪ ମସିହାରେ ଶ୍ରୀନଗରରେ ଜନ୍ମ ହୋଇଥିଲେ ବିକ୍ରମ ମିଶ୍ରି। ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ହିନ୍ଦୁ କଲେଜରୁ ଇତିହାସରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ସେ ଏକ୍ସଏଲଆରଆଇରୁ ଏମ୍ବିଏ କରିଥିଲେ। ପାଠପଢ଼ା ଶେଷ କରିବା ପରେ ସେ ପ୍ରାୟ ୩ ବର୍ଷ ଆଡଭରଟାଇଜିଂ କ୍ଷେତ୍ରରେ କାମ କରିଥିଲେ। ୧୯୮୯ରେ ସେ ଆଇଏଫଏସ୍ ପାଇଥିଲେ।
୧୯୯୧ରୁ ୧୯୯୬ ମସିହା ମଧ୍ୟରେ ବିକ୍ରମ ମିଶ୍ରି ବ୍ରୁସେଲ୍ସ ଓ ଟୁନିସରେ ଭାରତୀୟ ମିଶନଗୁଡ଼ିକରେ ବିଭିନ୍ନ ପଦପଦବୀରେ ରହି କାର୍ଯ୍ୟ କରିଥିଲେ। ୧୯୯୭ରେ ସେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦର କୁମାର ଗୁଜରାଲଙ୍କ ପ୍ରାଇଭେଟ୍ ସେକ୍ରେଟେରୀ ଭାବେ ନିଯୁକ୍ତି ପାଇଥିଲେ। ଏହା ପରେ ସେ ଏକାଧିକ ଥର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ବୈଦେଶିକ ମନ୍ତ୍ରଣାଳୟରେ କାର୍ଯ୍ୟ କରିଛନ୍ତି। ଏହା ସହିତ ବିଦେଶରେ ଭାରତର ବିଭିନ୍ନ ମିଶନରେ କାର୍ଯ୍ୟ କରିଛନ୍ତି।

