ମମତା ମହାନ୍ତ ବିଜେପିର ରାଜ୍ୟସଭା ପ୍ରାର୍ଥୀ

ମମତା ମହାନ୍ତ ବିଜେପିର ରାଜ୍ୟସଭା ପ୍ରାର୍ଥୀ । ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟିର ଅନୁମୋଦନ । ମୟୁରଭଞ୍ଜ କୁଡୁମୀ ସମ୍ପ୍ରଦାୟ ନେତ୍ରୀ ମମତା । ରାଜ୍ୟସଭା ସାଂସଦ ପଦରୁ ଦେଇଥିଲେ ଇସ୍ତଫା । ବିଜେଡି ରାଜ୍ୟସଭା ସାଂସଦ ଥିଲେ ମମତା । ମମତାଙ୍କୁ ପୁଣି ଥରେ ରାଜ୍ୟସଭା ପଠାଇବ ବିଜେପି । ଏ ନେଇ ପୂର୍ବରୁ ଚର୍ଚ୍ଚା ହେଉଥିଲା ।

ବିଜେଡିରୁ ବିଜେପି ଆସିବା ପରେ ବିଜେପି ପୁଣି ଥରେ ମମତାଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଛି । ଏହା ଦ୍ବାରା ରାଜ୍ୟରେ ରାଜନୈତିକ ସମୀକରଣ ପରିବର୍ତ୍ତନ ଲାଗି ବିଜେପି ଚେଷ୍ଟା କରିଛି । ଯାହାକି ଅନ୍ୟମାନଙ୍କ ପାଇଁ ଏକ ମେସେଜ ଯିବ ବୋଲି ଏବେ ଠୁ ଚର୍ଚ୍ଚା ହେଉଛି । ବିଜେଡି ଛାଡ଼ି ଆସି ବିଜେପି ରାଜ୍ୟସଭା ପ୍ରାର୍ଥୀ ହେବା ଏକ ପ୍ରକାର ବିଜେଡି ଛାଡ଼ିବାକୁ ଚାହୁଁଥିବା ନେତାଙ୍କ ଲାଗି ଟ୍ରେଡ଼ ମାର୍କ ହେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା । ଅନ୍ୟପଟେ ଆଗାମୀ ଦିନରେ ପଡ଼ୋଶୀ ରାଜ୍ୟରେ ନିର୍ବାଚନ ଥିବା ଯେହେତୁ ମମତା କୁଡ଼ୁମୀ ସମ୍ପ୍ରଦାୟର ନେତ୍ରୀ ଏଣୁ କୁଡ଼ୁମୀ ଭୋଟକୁ ନିଜ ଆଡ଼ୁକ ନେବାକୁ ବିଜେପିର ଏହା ଏକ ଷ୍ଟ୍ରାଟେଜି ବୋଲି କୁହାଯାଇପାରେ । ସେହିଭଳି ରାଜ୍ୟରେ ଆଗାମୀ ଦିନରେ ପଞ୍ଚାୟତ ନିର୍ବାଚନ । ଏଣୁ ପଞ୍ଚାୟତ ନିର୍ବାଚନରେ କୁଡ଼ୁମୀ ସମ୍ପ୍ରଦାୟର ଭୋଟ ମଧ୍ୟ ନିଜ ଆଡ଼କୁ ବିଜେପି ଟାଣିବ ବୋଲି ଅନୁମାନ କରାଯାଉଛି ।

କାରଣ ମମତା ବିଜେଡି ଛାଡ଼ିବା ସମୟରେ କହିଥିଲେ କି ତାଙ୍କ ସମ୍ପ୍ରଦାୟର କୌଣସି କାମ କରାଯାଉନାହିଁ । ଏଣୁ ସେ ବିଜେଡି ଛାଡ଼ୁଛନ୍ତି । ଫଳରେ ରାଜ୍ୟରେ ନୂତନ କରି ସରକାର ଗଢିଥିବା ବିଜେପି ଏକ ମେସେଜ ଦେବାକୁ ଚାହିଁଛି କି କୁଡ଼ୁମୀ ସମ୍ପ୍ରଦାୟ ସହ ବିଜେପି ଅଛି । ମମତା ୨୦୨୦ରେ ବିଜେଡିରୁ ରାଜ୍ୟସଭାକୁ ଯାଇଥିଲେ । ଏବେ ସେ ବିଜେପିରୁ ଆହୁରି ୧୮ମାସ ରାଜ୍ୟସଭାରେ ରହିବେ । ସେ ବିଜେଡି ଛାଡ଼ିବା ପରେ ବିଜେପିର ରାଜ୍ୟସଭା ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହେଉଥିଲା । ସେ ଦିଲ୍ଲୀରେ ବିଜେପି କେନ୍ଦ୍ରୀୟ ନେତାଙ୍କୁ ଭେଟି ଓଡ଼ିଶା ଆସିବା ପରେ ତାଙ୍କୁ ଯେଭଳି ସ୍ବାଗତ କରାଯାଇଥିଲା ଏହାକୁ ଦେଖି ଅନୁମାନ କରାଯାଉଥିଲା କି ତାଙ୍କୁ ବିଜେପି ପ୍ରାର୍ଥୀ କରିବ । ଆଜି ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ଅନୁମୋଦନ କରିଛି ।

ଆସନ୍ତାକାଲି ନାମାଙ୍କନ ଦାଖଲର ଶେଷ ଦିନ ଥିବାରୁ ସେ ବୁଧବାର ନିଜର ନାମାଙ୍କନ ଦାଖଲ କରିବେ । ଶାସକ ଦଳର ସଂଖ୍ୟା ଦୃଷ୍ଟିରୁ ସେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇପାରନ୍ତି । ତାଙ୍କ ପାଖରେ କୁଡ଼ୁମୀ ସମ୍ପ୍ରଦାୟର ବହୁ ବଡ଼ ଭୋଟ ବ୍ୟାଙ୍କ ରହିଛି । ସୂଚନାଯୋଗ୍ୟ ଯେ, ମମତା ମହାନ୍ତ ବିଜେଡି ଟିକେଟରୁ ରାଜ୍ୟସଭାକୁ ନିର୍ବାଚିତ ହେଇଥିଲେ। ହେଲେ ଗତ ମାସ ଜୁଲାଇ ୩୧ ତାରିଖରେ ସେ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବା ସହ ବିଜେଡି ଛାଡ଼ିଥିଲେ । ଏହାପରେ ଦିଲ୍ଲୀରେ ସେ ବିଜେପିରେ ସାମିଲ ହୋଇଥିଲେ।

Post Views60 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!