ହାନ୍ କାଙ୍ଗ୍‌ଙ୍କୁ ସାହିତ୍ୟରେ ନୋବେଲ୍‌

ଦକ୍ଷିଣ କୋରିଆର ପ୍ରଖ୍ୟାତ ଲେଖିକା ହାନ୍ କାଙ୍ଗ୍‌ଙ୍କୁ ୨୦୨୪ର ସାହିତ୍ୟ ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି। ଐତିହାସିକ ଆଘାତର ସମ୍ମୁଖୀନ ହେଉଥିବା ମାନବ ଜୀବନର ଅସହାୟତା ଓ ଭଙ୍ଗୁରତାକୁ ଉନ୍ମୋଚନ କରୁଥିବା ତାଙ୍କର କବିତାଧର୍ମୀ ଗଦ୍ୟ ପାଇଁ ରୟାଲ ସୁଇଡିସ୍‌ ଏକାଡେମି ଅଫ୍‌ ସାଇନ୍ସ ପକ୍ଷରୁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ଆଜି ଘୋଷଣା କରାଯାଇଛି। ସମକାଳୀନ ସାହିତ୍ୟରେ କାଙ୍ଗ୍‌ଙ୍କ ପ୍ରଭାବଶାଳୀ ଅବଦାନକୁ ଦୃଷ୍ଟିରେ ରଖି ନୋବେଲ କମିଟି ଏହି ନିଷ୍ପତ୍ତି ନେଇଛି। ୧୯୭୦ ମସିହାରେ ଦକ୍ଷିଣ କୋରିଆର ଗ୍ୱାଙ୍ଗ୍‌ଜୁ ସହରରେ ଜନ୍ମଗ୍ରହଣ କରିଥିବା ହାନ୍‌ କାଙ୍ଗ ନଅ ବର୍ଷ ବୟସରେ ସିଓଲ ଚାଲି ଆସିଥିଲେ। ସୂଚନାଯୋଗ୍ୟ, କାଙ୍ଗ୍‌ ଏକ ସାହିତ୍ୟିକ ପୃଷ୍ଠଭୂମିରୁ ଆସିଛନ୍ତି ଏବଂ ତାଙ୍କ ପିତା ମଧ୍ୟ ଜଣେ ପ୍ରସିଦ୍ଧ ଔପନ୍ୟାସିକ ।

ହାନ୍‌ କାଙ୍ଗ୍‌ ଜଣେ ସ୍ବନାମଧନ୍ୟ ଲେଖକ ଭାବରେ ସାହିତ୍ୟ ଜଗତ ସହିତ କଳା ଏବଂ ସଙ୍ଗୀତ ପ୍ରତି ମଧ୍ୟ ଗଭୀର ରୁଚି ରଖନ୍ତି, ଯାହାର ପ୍ରଭାବ ପ୍ରାୟତଃ ତାଙ୍କର ରଚନାର ପ୍ରତିଫଳନ ଭାବରେ ଦେଖାଯାଏ। ହାନ୍‌ କାଙ୍ଗ୍‌ ୧୯୯୩ ମସିହାରେ ‘ଲିଟର୍‌ଚର ଆଣ୍ଡ୍‌ ସୋସାଇଟି’ (ସାହିତ୍ୟ ଓ ସମାଜ) ପତ୍ରିକାରେ ଅନେକ କବିତା ପ୍ରକାଶ କରି ନିଜର କ୍ୟାରିୟର ଆରମ୍ଭ କରିଥିଲେ। ୧୯୯୫ ମସିହାରେ କ୍ଷୁଦ୍ରଗଳ୍ପ ସଂକଳନ ‘ଲଭ୍ ଅଫ୍ ୟେଓସୁ’ ଜରିଆରେ ତାଙ୍କର ପ୍ରଥମ ପଦାର୍ପଣ ହୋଇଥିଲା ଏବଂ ଏହା ପରେ ଉଭୟ ଉପନ୍ୟାସ ଓ କ୍ଷୁଦ୍ରଗଳ୍ପ କ୍ଷେତ୍ରରେ ସେ ଅନେକ ପ୍ରସିଦ୍ଧି ଲାଭ କରିଥିଲେ।

୨୦୨୩ ମସିହାରେ ନର୍‌ୱେର ଲେଖକ ଜନ୍ ଫୋସେଙ୍କୁ ତାଙ୍କ ଅଭିନବ ନାଟକ ଓ ଗଦ୍ୟ ରଚନା ପାଇଁ ସାହିତ୍ୟରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା। ସାହିତ୍ୟକ୍ଷେତ୍ରରେ ନୋବେଲ ପୁରସ୍କାର ୧୯୦୧ରୁ ୨୦୨୩ ମଧ୍ୟରେ ୧୨୦ ଜଣ ବିଜେତାଙ୍କୁ ପ୍ରଦାନ କରାଯାଇଛି। ସାହିତ୍ୟକ୍ଷେତ୍ରରେ ୧୭ ଜଣ ମହିଳାଙ୍କୁ ନୋବେଲ ପୁରସ୍କାର ମିଳିଛି। ପ୍ରଥମେ ସ୍ୱିଡେନର ଲେଖିକା ସେଲମା ଲାଗର୍ଲୋଫଙ୍କୁ ୧୯୦୯ ମସିହାରେ ସାହିତ୍ୟ ପାଇଁ ନୋବେଲ ପୁରସ୍କାର ଦିଆଯାଇଥିଲା। ଡୋରିସ୍ ଲେସିଂ ହେଉଛନ୍ତି ସବୁଠାରୁ ବୟସ୍କ ନୋବେଲ ସାହିତ୍ୟ ପୁରସ୍କାର ବିଜେତା। ୨୦୦୭ ମସିହାରେ ୮୭ ବର୍ଷ ବୟସରେ ତାଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଗତକାଲି ରସାୟନ ବିଜ୍ଞାନରେ ଡେଭିଡ୍ ବେକର, ଡେମିସ୍ ହାସାବିସ୍ ଓ ଜନ୍ ଏମ୍ ଜମ୍ପରଙ୍କୁ ନୋବେଲ୍ ପୁରସ୍କାର ପ୍ରଦାନ କରାଯାଇଛି। ୨୦୨୪ର ନୋବେଲ ଶାନ୍ତି ପୁରସ୍କାର ଆସନ୍ତାକାଲି ଘୋଷଣା କରାଯିବ।

 

Post Views39 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!