ଲାଞ୍ଚ କାରବାରରେ ସିବିଆଇ ସମନ ପାଇଥିବା ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ବଦଳି କରିଛନ୍ତି ରାଜ୍ୟ ସରକାର। ପୂର୍ବରୁ ରାଜ୍ୟ ସରକାରଙ୍କ ୩ଟି ପ୍ରମୁଖ ବିଭାଗର ସଚିବ ଥିବା ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ପଦରୁ ହଟାଇ ଦେଇଛନ୍ତି ରାଜ୍ୟ ସରକାର। ମଙ୍ଗଳବାର ସାଧାରଣ ପ୍ରଶାସନ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ଥିବା ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗର ଓଏସ୍ଡି ଭାବେ ବଦଳି କରିଛନ୍ତି ରାଜ୍ୟ ସରକାର। ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ଓଏସ୍ଡି ଭାବେ ବଦଳି ଥିଲେ ବି ପ୍ରମୁଖ ସଚିବ ପାହ୍ୟା ବଜାୟ ରହିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।
ଏଥି ସହିତ ବିଷ୍ଣୁପଦ ସେଠୀଙ୍କୁ ପଦରୁ ହଟାଇବା ପରେ ନିକଟରେ କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ଆଇଏଏସ୍ ସଞ୍ଜିବ କୁମାର ମିଶ୍ରଙ୍କୁ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତ କରାଯାଇଛି। ଏଥି ସହିତ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ଅନ୍ୟପଟେ ଆନ୍ତଃକ୍ୟାଡ଼ର ଡେପୁଟେସନରେ ଆସିଥିବା ୨୦୦୬ ବ୍ୟାଚ୍ ଆଇଏଏସ୍ ମନୋଜ କୁମାର ସାହୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ଅବସ୍ଥାପିତ କରାଯାଇଛି ।
ସୂଚନାଯୋଗ୍ୟ ଗତ ସପ୍ତାହରେ ରାଜଧାନୀର ଏକ ହୋଟେଲ ସମ୍ମୁଖର ଏକ କାର୍ରୁ ୧୦ ଲକ୍ଷ ଟଙ୍କା ଓ ସୁନା ଜବତ ଘଟଣାର ଯାଞ୍ଚରୁ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଲିଙ୍କ ବାହାରିଥିଲା। ଗତ ୧୦ତାରିଖରୁ ବିଷ୍ଣୁପଦ ସେଠୀଙ୍କୁ ହାଜର ପାଇଁ ନୋଟିସ୍ ଦେଇଥିଲେ ମଧ୍ୟ ସେ ତାହାକୁ ଏଡ଼ାଇ ଚାଲିଛନ୍ତି। ସେପଟେ ଭୁବନେଶ୍ବର ନୁହେଁ ଦିଲ୍ଲୀରେ ହାଜର ହୋଇପାରନ୍ତି ଆଇଏଏସ୍ ବିଷ୍ଣୁପଦ ସେଠୀ । ଦିଲ୍ଲୀରେ ହାଜର ନେଇ ବିଷ୍ଣୁପଦ ଚିଠି ଲେଖିଥିବା ସୂଚନା ମିଳିଛି। ତଦନ୍ତରେ ସହଯୋଗ କରି ସେ ସମସ୍ତ ତଥ୍ୟ ରଖିବେ । ହେଲେ ଭୁବନେଶ୍ଵର ନୁହେଁ ଦିଲ୍ଲୀରେ ହାଜର ପାଇଁ ସେ ଚିଠି ଲେଖିଥିବା ଜଣାପଡିଛି। ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀର ଜିଜିଏମଙ୍କ ସହ ୧୫ ଲକ୍ଷ ଟଙ୍କା କାରବାର ମାମଲାରେ ବିଷ୍ଣୁପଦଙ୍କୁ ସିବିଆଇ ସମନ କରିଛି। ୧୦ ତାରିଖରେ ସମନ ଜାରି ହୋଇଥିବାବେଳେ ୧୧ ତାରିଖରେ ଭୁବନେଶ୍ୱର ସିବିଆଇ କାର୍ଯ୍ୟାଳୟରେ ହାଜର ପାଇଁ କୁହାଯାଇଥିଲା। ତେବେ ଏହାରି ମଧ୍ୟରେ ବିଷ୍ଣୁପଦଙ୍କ ୩ ଡ୍ରାଇଭରଙ୍କୁ ସିବିଆଇ ଜେରା କରିସାରିଛି।

