ଲାଗି ହେଲା ଜୈବିକ ଚାଉଳର ଅନ୍ନ

ଶ୍ରୀମହାପ୍ରସାଦ ପ୍ରସ୍ତୁତିରେ ଜୈବିକ ଚାଉଳର ବ୍ୟବହାର ନେଇ ନିକଟରେ କୃଷି ଭବନଠାରେ ଏକ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଥିଲା। ସେଥିରେ ନିଆଯାଇଥିବା ନିଷ୍ପତ୍ତି ପ୍ରକାରେ ଗୁରୁବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଲାଗି ହୋଇଛି ଜୈବିକ ଚାଉଳରେ ପ୍ରସ୍ତୁତ ଅନ୍ନ। କୋଠଭୋଗରେ ଏହା ଠାକୁରଙ୍କୁ ଲାଗି କରାଯିବା ପରେ ଏହାକୁ ସୁଆର ମହାସୁଆର ନିଯୋଗର କର୍ମକର୍ତ୍ତା ଏବଂ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀମାନେ ସେବନ କରିଛନ୍ତି ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ।

ଗଣମାଧ୍ୟମକୁ ସୂଚନା ଦେଇ ଡ. ପାଢ଼ୀ କହିଛନ୍ତି, କୃଷି ଭବନଠାରେ ଅନୁଷ୍ଠିତ ବୈଠକରେ ଯେଉଁ ଅନୁଷ୍ଠାନଗୁଡ଼ିକ ଜୈବିକ ପଦ୍ଧତିରେ ଚାଉଳ ଉତ୍ପାଦନ କରୁଛନ୍ତି, ସେମାନେ ମହାପ୍ରଭୁଙ୍କୁ ଅର୍ପଣ କରିବା ଲାଗି ତାହାର ନମୁନା ସୁଆର ମହାସୁଆର ନିଯୋଗକୁ ଦେଇଥିଲେ। ସେଥିରେ ପ୍ରସ୍ତୁତ ଅମୃତ ଅନ୍ନକୁ ଆଜି ମହାପ୍ରଭୁଙ୍କୁ ଲାଗି କରାଯାଇଥିଲା। ସେମାନେ ୫ଟି କିସମର ଚାଉଳ ଯଥା ଝିଲ୍ଲୀ, ଗୋବିନ୍ଦଭୋଗ, କଳାଜିରା, ପଦ୍ମକେଶରୀ ଏବଂ ୧୦୧୪ ଦେଇଥିଲେ। ଏଥିରେ ପ୍ରସ୍ତୁତ ଅନ୍ନ ମହାପ୍ରଭୁଙ୍କୁ ଲାଗି ପରେ ଏହାକୁ ସୁଆର ମହାସୁଆର ନିଯୋଗ କର୍ମକର୍ତ୍ତା ଏବଂ ଅଧିକାରୀମାନେ ମିଶି ସେବନ କରିଥିଲୁ। ଏହାପରେ କେଉଁ ପ୍ରଜାତିକୁ ଆମେ କୋଠଭୋଗ ଏବଂ କେଉଁ ପ୍ରଜାତିକୁ ଆନନ୍ଦବଜାରରେ ମହାପ୍ରସାଦ ବିକ୍ରି ପାଇଁ ବ୍ୟବହାର କରାଯିବ, ସେନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହେଇଥିଲା। ସମସ୍ତଙ୍କ ପରାମର୍ଶକ୍ରମେ ଗୋବିନ୍ଦଭୋଗ ଏବଂ ଝିଲ୍ଲୀ ଠାକୁରଙ୍କ କୋଠଭୋଗରେ ବ୍ୟବହାର କରାଯିବ ଏବଂ ଅନ୍ୟ ୩ କିସମ ଚାଉଳ ମହାପ୍ରସାଦ ପ୍ରସ୍ତୁତିରେ ବ୍ୟବହାର କରାଯିବ ବୋଲି ନିଷ୍ପତ୍ତି ହୋଇଛି ।

Post Views14 Total Count

Apply Now


This will close in 0 seconds

error: Content is protected !!