ପଦ୍ମ ପୁରସ୍କାର ବିବାଦ ମାମଲାରେ ପୂର୍ଣ୍ଣଛେଦ

ପଦ୍ମ ପୁରସ୍କାର ବିବାଦ ମାମଲାରେ ପୂର୍ଣ୍ଣଛେଦ ଟାଣିଛନ୍ତି ହାଇକୋର୍ଟ। ଏଥିସହ ଆବେଦନକାରୀଙ୍କୁ ୧୦ ହଜାର ଟଙ୍କାର ଜରିମନା ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ମାମଲା ପାଇଁ ଯୋଗ୍ୟ ଆବଶ୍ୟକୀୟ ତଥ୍ୟ ପ୍ରମାଣ ଦେବାରେ ଆବେଦନକାରୀ ଅସମର୍ଥ ହେଲେ, ଯଦ୍ୱାରା କୋର୍ଟ ସମୟ ଅପଚୟ ହୋଇଛି। ତେଣୁ ଆଇନଜୀବୀ କଲ୍ୟାଣ ପାଣ୍ଠିରେ ଜରିମନା ରାଶିକୁ ଦାଖଲ କରିବା ଲାଗି ବୁଧବାର ଆବେଦନକାରୀଙ୍କୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ପଦ୍ମ ପୁରସ୍କାର ପାଇଁ ଢେଙ୍କାନାଳର ସୁନାମଧନ୍ୟ ସାରସ୍ୱତ ସାଧକ ଅନ୍ତର୍ଯ୍ୟାମୀ ମିଶ୍ର ଯୋଗ୍ୟ ବିବେଚିତ ହୋଇଥିଲେ। ସେ ପଦ୍ମଶ୍ରୀ ସମ୍ମାନରେ ମଧ୍ୟ ସମ୍ମାନିତ ହୋଇସାରିଛନ୍ତି। ତେବେ ଭୁବନେଶ୍ୱର ବ୍ରହ୍ମେସ୍ୱର ପାଟଣା ବାସିନ୍ଦା ଅନ୍ତର୍ଯ୍ୟାମୀ ମିଶ୍ର ପଦ୍ମ ପୁରସ୍କାର ପାଇବାକୁ ସେ ହିଁ ପ୍ରକୃତ ଯୋଗ୍ୟ ବ୍ୟକ୍ତି ବୋଲି ଦାବି କରି ହାଇକୋର୍ଟରେ ମାମଲା ଦାୟର କରିଥିଲେ।

ତେବେ ଉଭୟ ପକ୍ଷ ସମସ୍ତ ଆବଶ୍ୟକୀୟ ତଥ୍ୟ ସହିତ ବ୍ୟକ୍ତିଗତ ଭାବେ ହାଜର ହେବାଲାଗି ହାଇକୋର୍ଟ ନିର୍ଦେଶ ଦେଇଥିଲେ। ସ୍ୱାସ୍ଥ୍ୟଗତ ସମସ୍ୟାର କାରଣ ଦେଖାଇ ପଦ୍ମଶ୍ରୀ ଅନ୍ତର୍ଯ୍ୟାମୀ ମିଶ୍ର ହାଜର ହୋଇ ପାରି ନ ଥିଲେ। ତେଣେ ଆବେଦନକାରୀଙ୍କୁ ସମସ୍ତ ତଥ୍ୟ ପ୍ରମାଣ କୋର୍ଟରେ ଦାଖଲ କରିବାକୁ ହାଇକୋର୍ଟ ନିର୍ଦେଶ ଦେଇଥିଲେ। ତେବେ ଶୁଣାଣି ପାଇଁ ୩ ଟି ତାରିଖ ଧାର୍ଯ୍ୟ ହୋଇଥିଲେ ହେଁ, ଆବେଦନକାରୀ ଅନ୍ତର୍ଯ୍ୟାମୀ ମିଶ୍ର କୌଣସି ଆବଶ୍ୟକୀୟ ତଥ୍ୟ କୋର୍ଟରେ ଦାଖଲ କରି ପାରି ନ ଥିଲେ। ଯାହାକୁ ଆଧାର କରି ବୁଧବାର ମାମଲାର ଅନ୍ତ ଘଟାଇଛନ୍ତି ହାଇକୋର୍ଟ।

Post Views15 Total Count

Apply Now


This will close in 0 seconds

error: Content is protected !!