ଓପିଟିସିଏଲ୍ କର୍ମଚାରୀଙ୍କ ପାଇଁ ଓକେସିଏଲ୍ ପକ୍ଷରୁ କୃତ୍ରିମ ବୁଦ୍ଧିମତା ପ୍ରଶିକ୍ଷଣ କର୍ମଶାଳା ଆୟୋଜିତ

ଓଡ଼ିଶା ନଲେଜ୍ କର୍ପୋରେସନ୍ ଲିମିଟେଡ୍ (ଓକେସିଏଲ୍) ପକ୍ଷରୁ ଓଡ଼ିଶା ପାୱାର ଟ୍ରାନ୍ସମିଶନ୍ କର୍ପୋରେସନ୍ ଲିମିଟେଡ୍ (ଓପିଟିସିଏଲ୍)ର ପ୍ରାୟ ୪୦ ଜଣ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ଏକ ଦିନିଆ କୃତ୍ରିମ ବୁଦ୍ଧିମତା କ୍ଷମତା ବିକାଶ କର୍ମଶାଳା ଆୟୋଜିତ ହୋଇଥିଲା। ଇଞ୍ଜିନିୟରିଂ, ମାନବ ସମ୍ପଦ ଓ ପ୍ରଶାସନିକ ବିଭାଗର ଅଧିକାରୀମାନଙ୍କୁ ଦୈନନ୍ଦିନ କାର୍ଯ୍ୟରେ ଏଆଇ ର ବ୍ୟବହାରିକ ପ୍ରୟୋଗ ସମ୍ପର୍କରେ ଦକ୍ଷ କରିବା ଏହି ପ୍ରଶିକ୍ଷଣର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

ଏହି କର୍ମଶାଳାରେ ଓକେସିଏଲ୍‌ର ସିନିୟର ପ୍ରୋଗ୍ରାମ୍ ମ୍ୟାନେଜର ଡ଼ଃ ଅଂଶୁମାନ ସର ଅଂଶଗ୍ରହଣକାରୀଙ୍କୁ ଓପିଟିସିଏଲ୍ ର କାର୍ଯ୍ୟପରିବେଶକୁ ଆଧାର କରି ପ୍ରସ୍ତୁତ ୧୦ଟି ବାସ୍ତବଧର୍ମୀ ପରିସ୍ଥିତି ମାଧ୍ୟମରେ ଏଆଇ ର ବ୍ୟବହାରିକ ପ୍ରୟୋଗ ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।

ଦୀର୍ଘ ବୈଷୟିକ ଦସ୍ତାବେଜର ସାରାଂଶ ପ୍ରସ୍ତୁତ କରିବା, ଭିଜୁଆଲ୍ ୱାର୍କଫ୍ଲୋରେ ପରିଣତ କରିବା, ଗ୍ରିଡ୍ କୋଡ୍ ଅନୁଯାୟୀ ଟେଣ୍ଡର ଯାଞ୍ଚ, ଅଡିଓ ରେକର୍ଡିଂରୁ ବୈଠକର କାର୍ଯ୍ୟବିବରଣୀ ପ୍ରସ୍ତୁତ କରିବା ଭଳି ବିଭିନ୍ନ ବ୍ୟବହାରିକ ବିଷୟ ଉପରେ ଲାଇଭ୍‌ ଡେମୋ ପ୍ରଦର୍ଶନ କରାଯାଇଥିଲା। ପ୍ରଶିକ୍ଷଣ ସମୟରେ ଚାଟ୍‌ଜିପିଟି, ଯେମିନି ଏଆଇ, କ୍ଲଡ ଏଆଇ, ନୋଟବୁକ୍‌ ଏଲ୍‌ଏମ୍‌ ଏବଂ ସର୍ଭମ ଏଆଇ ପରି ଆଧୁନିକ ଏଆଇ ଟୁଲ୍‌ର ବ୍ୟବହାର ସମ୍ପର୍କରେ ଅଧିକାରୀମାନଙ୍କୁ ଅବଗତ କରାଯାଇଥିଲା।

ଟ୍ରାନ୍ସମିଶନ୍ ବ୍ୟବସ୍ଥାପନ, ସମ୍ପଦ ପରିଚାଳନା ଏବଂ ମାନବ ସମ୍ପଦ ପରିଚାଳନା କ୍ଷେତ୍ରରେ ଏହି ଟୁଲ୍‌ଗୁଡ଼ିକର ପ୍ରୟୋଗ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା।

ସମଗ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଓକେସିଏଲ୍‌ର ସିନିୟର ପ୍ରୋଗ୍ରାମ୍ ମ୍ୟାନେଜର ଶ୍ରୀ ସଚିକାନ୍ତ ରାଉତ ସଫଳତାର ସହ ସମନ୍ୱୟ କରିଥିଲେ। ସେ କର୍ମଶାଳାର ସମସ୍ତ ବ୍ୟବସ୍ଥାପନା ଓ ପରିଚାଳନାକୁ ସୁଚାରୁରୂପେ ସମ୍ପନ୍ନ କରିଥିଲେ। ପ୍ରଶିକ୍ଷଣରେ ଏଆଇର ଦାୟିତ୍ୱଶୀଳ ଓ ସୁରକ୍ଷିତ ବ୍ୟବହାର ସମ୍ପର୍କରେ ଅଧିକାରୀମାନଙ୍କୁ ସଚେତନ କରାଯିବା ସହ ଏଆଇ ଦ୍ୱାରା ପ୍ରସ୍ତୁତ ତଥ୍ୟକୁ ସରକାରୀ କାର୍ଯ୍ୟରେ ବ୍ୟବହାର ପୂର୍ବରୁ ଯାଞ୍ଚ ଓ ସତ୍ୟାପନର ଆବଶ୍ୟକତା ଉପରେ ବିଶେଷ ଆଲୋକପାତ କରାଯାଇଥିଲା।

କର୍ମଶାଳାର ବ୍ୟବହାରିକ ଓ ହ୍ୟାଣ୍ଡସ୍-ଅନ୍ ପ୍ରଶିକ୍ଷଣ ପଦ୍ଧତିକୁ ଅଂଶଗ୍ରହଣକାରୀମାନେ ବେଶ ପ୍ରଶଂସା କରିଥିଲେ। ବିଶେଷକରି ଲାଇଭ୍‌ ଡେମୋ ପ୍ରଦର୍ଶନକୁ ସେମାନେ ଅତ୍ୟନ୍ତ ଉପଯୋଗୀ ଓ କାର୍ଯ୍ୟକ୍ଷେତ୍ରରେ ତୁରନ୍ତ ପ୍ରୟୋଗଯୋଗ୍ୟ ବୋଲି ମତ ପ୍ରକାଶ କରିଥିଲେ।

Post Views78 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!