ଟାଟା ଗ୍ରୁପର ଅଧ୍ୟକ୍ଷ ରହିବେ ଚନ୍ଦ୍ରଶେଖରନ । ଆଉ ୫ ବର୍ଷ ଟାଟାର ମଙ୍ଗ ଧରିବେ ଚନ୍ଦ୍ରଶେଖରନ । Tata Sons ବୋର୍ଡ ଏନ୍ . ଚନ୍ଦ୍ରଶେଖରନଙ୍କୁ Executive Chairman ଭାବେ ଆଉ ୫ ବର୍ଷ ପାଇଁ ପୁନଃନିଯୁକ୍ତ କରିବାକୁ ଅନୁମୋଦନ କରିଛି ।
ଗତ ମାସରେ ଚନ୍ଦ୍ରଶେଖରନ ଆଉ ଏକ କାର୍ଯ୍ୟକାଳ ପାଇଁ ପୁନଃନିଯୁକ୍ତି ଚାହିଁବେ ନାହିଁ ବୋଲି ଜଣାଇଥିଲେ । ଏବେ ସେହି ନିଷ୍ପତ୍ତି ବଦଳିଥିବା ବେଳେ Tata Sons ବୋର୍ଡ ତାଙ୍କ ନୂଆ ୫ ବର୍ଷର କାର୍ଯ୍ୟକାଳକୁ ସବୁଜ ସଙ୍କେତ ଦେଇଛି । ଚନ୍ଦ୍ରଶେଖରନଙ୍କ ବର୍ତ୍ତମାନର କାର୍ଯ୍ୟକାଳ ୨୦୨୭ ଫେବ୍ରୁଆରୀରେ ଶେଷ ହେବାର ଥିଲା । ନୂଆ ନିଷ୍ପତ୍ତି ପରେ ଦେଶର ଅନ୍ୟତମ ବୃହତ୍ତମ ଶିଳ୍ପଗୋଷ୍ଠୀ Tata Groupର ଶୀର୍ଷ ପଦରେ ତାଙ୍କ ନେତୃତ୍ୱ ଆଗକୁ ମଧ୍ୟ ଜାରି ରହିବ ।
୨୦୧୭ରେ ଚନ୍ଦ୍ରଶେଖରନ Tata Sonsର ଅଧ୍ୟକ୍ଷ ଦାୟିତ୍ୱ ନେଇଥିଲେ । ଏହାପୂର୍ବରୁ ସେ Tata Consultancy Services (TCS)ର CEO ଏବଂ Managing Director ଥିଲେ । ୨୦୨୨ରେ ତାଙ୍କୁ ଦ୍ୱିତୀୟ ଥର ପାଇଁ ୫ ବର୍ଷର କାର୍ଯ୍ୟକାଳ ଦିଆଯାଇଥିଲା । ତାଙ୍କ ନେତୃତ୍ୱ ସମୟରେ Tata Group ବିମାନ ଚଳାଚଳ, ଇଲେକ୍ଟ୍ରୋନିକ୍ସ, ସେମିକଣ୍ଡକ୍ଟର, ବ୍ୟାଟେରୀ ଓ ଡିଜିଟାଲ୍ ବ୍ୟବସାୟ ଭଳି ନୂଆ କ୍ଷେତ୍ରରେ ବଡ଼ ପୁଞ୍ଜିନିବେଶ କରିଛି ।

