ରାଜ୍ୟରେ କଂଗ୍ରେସ ପ୍ରାୟ ୨୪ ବର୍ଷ ହେବ କ୍ଷମତାଠାରୁ ଦୂରରେ ରହିଛି। ଦୀର୍ଘବର୍ଷ ଧରି ରାଜ୍ୟରେ ଶାସନ କ୍ଷମତାରେ ରହିଆସିଥିବା କଂଗ୍ରେସକୁ ଦୟନୀୟ ସ୍ଥିତିରୁ ଉଦ୍ଧାର କରିବା ପାଇଁ ତୃଣମୂଳ ସ୍ତରରୁ ଦଳକୁ ସଂଗଠିତ ଏବଂ ସଶକ୍ତ କରିବା ପାଇଁ ବିଭିନ୍ନ ସମୟରେ ଚର୍ଚ୍ଚା ଆଲୋଚନା ହୋଇ ଆସୁଥିଲେ ହେଁ ବାସ୍ତବରେ ଏହା ସମ୍ଭବପର ହୋଇପାରି ନାହିଁ।
୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ଅତ୍ୟନ୍ତ ଖରାପ ପ୍ରଦର୍ଶନ କରିବା ସହ ମାତ୍ର ୯ଟି ଆସନ ଜିଣିବାକୁ ସକ୍ଷମ ହୋଇଥିଲା। ଏହି ନିର୍ବାଚନରେ କଂଗ୍ରେସକୁ ୩ ନମ୍ବର ସ୍ଥାନକୁ ଠେଲିଦେଇ ବିଜେପି ୨ ନମ୍ବର ସ୍ଥାନକୁ ଉଠିଥିଲା।
ଆଉ ଏବେ କଂଗ୍ରେସର ଏପରି ପରିସ୍ଥିତିରେ କଂଗ୍ରେସକୁ ନେଇ ବର୍ଷିଛନ୍ତି ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜିବି ବିଶ୍ୱାଳ। ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ୍ ଦ୍ବାରା ଆୟୋଜିତ ‘ଜାନକୀ-ବସନ୍ତ ସମ୍ପର୍କ’ କାର୍ଯ୍ୟକ୍ରମରେ ପିସିସି ସଭାପତିଙ୍କୁ ସିଧାସଳଖ ଟାର୍ଗେଟ କରି ବର୍ଷିଛନ୍ତି ଚିରଞ୍ଜିବି ବିଶ୍ୱାଳ।
କହିଛନ୍ତି ଆମ ଦଳର ରୋଗ ଅଛି ଯିଏ ପିସିସି ସଭାପତି ହେଇଯିବ ସେ କାହାକୁ ପଚାରିବନି। ଯାହା କି ଆମ ଦଳର ବଡ଼ ରୋଗ। କଂଗ୍ରେସ ଦଳରେ ନେତୃତ୍ୱ ସଙ୍କଟ ରହିଛି । ପ୍ରଚାର କେମିତି ଚାଲିଛି କାହାକୁ ଡାକୁଛନ୍ତି, ତାହା ଜଣା ପଡୁନି । ନିର୍ବାଚନ ଲଢ଼ିବା ମନ ବୃତ୍ତି କଂଗ୍ରେସର ନାହିଁ, ଆଉ କଂଗ୍ରେସ କେବଳ ହାରିବା ମାନସିକତା ନେଇ ଲଢୁଛି।
ଚିରଞ୍ଜିବି ବିଶ୍ୱାଳ କହିଛନ୍ତି ଯେ ଓଡ଼ିଶାରେ ୨୦୦୦ ମସିହା ପରେ ଜନ୍ମିତଙ୍କୁ ଏବେ ୨୩ ବର୍ଷରେ ନବୀନ ଛଡ଼ା କିଛି ଜାଣନ୍ତିନି। ସେମାନଙ୍କ ପାଖରେ ପହଞ୍ଚିବାକୁ କଂଗ୍ରେସର କିଛି ପ୍ରୟାସ ନାହିଁ।
କଂଗ୍ରେସରେ ଲଢ଼ୁଆ ମନୋବୃତ୍ତି ଆଉ ନାହିଁ, ବିଧାୟକ ସଂଖ୍ୟା କମି କମି ଯାଉଛି। ଆମର ୯ ଜଣ ବିଧାୟକ, କିନ୍ତୁ ୨୦ ଜଣ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ। ପୂର୍ବର କଂଗ୍ରେସ ଆଉ ନାହିଁ । କଂଗ୍ରେସରେ ଏବେ ନେତୃତ୍ବର ଅଭାବ ରହିଛି।

