ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୟର୍ନଷ୍ଟ୍ ଆଣ୍ଡ୍ ୟଙ୍ଗ୍ (ଇୱାଇ) ପକ୍ଷରୁ ଓ-ହବ୍ରେ ସ୍ଥାପନ କରାଯାଇଥିବା ନୂଆ ପ୍ରଯୁକ୍ତି କେନ୍ଦ୍ରକୁ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଆଇଟି ବିଭାଗର ପ୍ରମୁଖ ସଚିବ ମନୋଜ କୁମାର ମିଶ୍ର, ସ୍ବତନ୍ତ୍ର ସଚିବ ମାନସ ପଣ୍ଡା, ଇୱାଇର ପାର୍ଟନର ଗୌରବ ତନେଜା, ଇୱାଇ ମ୍ୟାନେଜିଂ ପାର୍ଟନର ହରିଶ ଅଗ୍ରୱାଲ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
ଭୁବନେଶ୍ବର ହେଉଛି ଭାରତର ପଞ୍ଚଦଶ ସହର ଯେଉଁଠାରେ କଂପାନି ଏହାର ପ୍ରଯୁକ୍ତି କେନ୍ଦ୍ର ଖୋଲିଛି। ଦେଶବିଦେଶର କ୍ଲାଏଣ୍ଟମାନଙ୍କୁ ସେବା ପ୍ରଦାନ କରିବାରେ ଏହି କେନ୍ଦ୍ରକୁ କଂପାନି ବ୍ୟବହାର କରିବ। ପନ୍ଦର ହଜାର ବର୍ଗଫୁଟରେ ପ୍ରସ୍ତୁତ ଏହି ଭିତ୍ତିଭୂମି ବ୍ୟବସ୍ଥାରେ ୪୦୦ ଲୋକଙ୍କୁ ନିଯୁକ୍ତି ମିଳିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଇୱାଇ ପ୍ରଯୁକ୍ତି କେନ୍ଦ୍ର ହେଉଛି ଆଉ ଏକ ଐତିହାସିକ ମୁହୂର୍ତ୍ତ ଯାହା ରାଜ୍ୟରେ ଦ୍ରୁତ ଗତିରେ ବଦଳୁଥିବା ଆଇଟି, ରଣନୀତି ଓ କନ୍ସଲ୍ଟିଂ ବ୍ୟବସ୍ଥାକୁ ଦର୍ଶାଉଛି।ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି ଯେ ଆଇଟି, ଇଏସ୍ଡିଏମ୍ ଓ କନ୍ସଲ୍ଟିଂ କଂପାନି ଲାଗି ଭୁବନେଶ୍ବର ଏବେ ହଟ୍ସ୍ପଟ୍ରେ ପରିଣତ ହୋଇଛି। କିଛିଦିନ ମଧ୍ୟରେ ଭୁବନେଶ୍ବରରେ ଆଇବିଏମ୍, ପିଡବ୍ଲୁସି, ଡେଲଏଟ୍, କନସେଣ୍ଟ୍ରିକ୍ସ, ହାପିଏଷ୍ଟ୍ ମାଇଣ୍ଡ୍, ଇନ୍ଫୋସିସ୍ ବିପିଏସ୍, ସିନୋପ୍ସିସ୍ ଓ ଆକ୍ସେଞ୍ଚର ଭଳି ବିଶ୍ବସ୍ତରୀୟ ଆଇଟି ଓ କନସଲଟିଂ କଂପାନି ସେମାନଙ୍କ ଗ୍ଲୋବାଲ ଡେଭେଲପମେଣ୍ଟ ଓ ଆଉଟ୍ସୋର୍ସିଂ ସେଣ୍ଟର ସ୍ଥାପନ କରିଛନ୍ତି।

